ହେ ତ୍ରାଣକାରୀ, ଭବାବ୍ଧି ତରୀ,
ଯୀଶୁ କର ପାରି । ଘୋଷା ।
ଦାରୁଣ ଭବାବ୍ଧି ମଧ୍ୟରେ ପଡ଼ିଛି, ମୋହ-ମାୟା ପଙ୍କେ ବୁଡ଼ି ଯାଉଅଛି,
ଜଞ୍ଜାଳର ଜାଲ ମୋତେ ଭିଡୁଅଛି, କାଳ କୁମ୍ଭୀର ଓଟାରି । ୧ ।
ନିବିଡ଼ ଅନ୍ଧାର ଘୋଟି ଆସୁଅଛି, ପ୍ରଚଣ୍ଡ ପବନ ଖରେ ବହୁଅଛି,
ପ୍ରବଳ ତରଙ୍ଗ ମୁଣ୍ଡରେ ଭାଙ୍ଗୁଛି, ପ୍ରାଣ ହେଉଅଛି ଭାରୀ । ୨ ।
ଏ ଦୁଃଖ କଷଣ ହେବାରୁ କଠିନ ହେଉଅଛି ହତ ବୁଦ୍ଧି ଜ୍ଞାନ ଧ୍ୟାନ, ମୋ
ବିଶ୍ୱାସ-ଧନ ଲୁଟିବା କାରଣ ଜଗି ବସିଅଛି ଅରି । ୩ ।
ଲୟର ନିକଟେ ଡାକୁଛି ଉତ୍କଟେ, ନ ତେଜ ସଙ୍କଟେ ଲଗାଅ ହେ ତଟେ,
ମୋ ଆରତ ବାଣୀ ଦୟା ଚିତ୍ତେ ଶୁଣି ଉଦ୍ଧରି ନିଅ ସେ ପାରି । ୪ ।