haayo khristo jantronaa

ହାୟ ଖ୍ରୀଷ୍ଟ ଯନ୍ତ୍ରଣା !

ନୁହେଁ କରି ବର୍ଣ୍ଣନା,

ଅନୁକ୍ଷଣେ ମନ କର ଭାବନା । ଘୋଷା ।

ତ୍ରିଭୁବନ କର୍ତ୍ତା ହୋଇ            ନର ରୂପ ନେଲେ ସେହି,

ପାପୀ ଉଦ୍ଧାରିବା ପାଇଁ କରେ କରୁଣା । ୧ ।

ପ୍ରଭୁ ହୋଇ ଦାସାକାରେ        ଜନ୍ମିଲେ ଦରିଦ୍ର ଘରେ,

କେତେ କଷଣ ସହିଲେ          ନୁହେଁ କଳନା         । ୨ ।

ଗେତ୍ସେମନି ବଗିଚାରେ          କି ଦୁଃଖ ପ୍ରଭୁ ସହିଲେ !

ଜଗତର ପାପଭାରେ ବ୍ୟାକୁଳମନା          । ୩ ।

ଦୁଃଖ କଣ୍ଠାଗ୍ରତ ପ୍ରାଣ,               ଡାକିଲେ ହେ ପିତା ଶୁଣ,

ହେଉ ଶ୍ରୀ ଇଚ୍ଛା ପ୍ରମାଣ,           ଏ ମୋ ପ୍ରାର୍ଥନା      । ୪ ।

ମରଣ କାଳର ପରି  ହୋଇଲା ସେ ଦୁଃଖ ଭାରୀ,

ସର୍ବାଙ୍ଗୁ ପଡ଼ଇ କ୍ଷରି  ରକ୍ତ ପସିନା          । ୫ ।

ଖଡ୍ଗ ଯଷ୍ଟି ନେଇ ହସ୍ତେ          ଧଇଲେ ଚୋରର ମତେ,

କେତେ ସହିଲେ ପ୍ରଭୁ            ଦୁଃଖ ଯାତନା         । ୬ ।

ମାରନ୍ତି ଜାବୁଡ଼ାମାନ, ପଚାରନ୍ତି ଏହା ପୁଣ,

କିଏ ମାଇଲା କହ    କରି ଗଣନା          । ୭ ।

ଏହିରୂପେ ଦୁଷ୍ଟ ଲୋକେ         ଛେପ ପକାଇଲେ ମୁଖେ,

ମାରନ୍ତି ବେତ ମସ୍ତକେ           ବିଦ୍ରୂପ ନାନା          । ୮ ।

ଦୁଇ ପାଖେ ଦୁଇ ଚୋର         ମଧ୍ୟରେ ଜଗତ ସାର,

ଚଢ଼ାଇ କ୍ରୁଶ ଉପର  ପ୍ରେକ ମାରଣା        । ୯ ।

କହନ୍ତି ପୁଣି ଏମନ୍ତ,   ତୁ ପରା ଈଶ୍ୱର ସୁତ ?

କ୍ରୁଶରୁ ଓହ୍ଲାଇ ଆସ, ଜାଣିବା ସିନା         । ୧୦ ।

ପ୍ରଭୁ ଥାଇ କ୍ରୁଶୋପର            ହୋଇ ଦୁଃଖରେ ବ୍ୟାକୁଳ

ବୋଲନ୍ତି ହେ ପିତା ମୋତେ     ଛାଡ଼ି ଦିଅନା          । ୧୧ ।

ମୁଁ ଅଧମ ପାପୀ ଜନ            ଭରସା ଖ୍ରୀଷ୍ଟ ଚରଣ,

ମୋର ପ୍ରତି ସୁନୟନ ନ କର ଊଣା         । ୧୨ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *