ହେ ଈଶ୍ୱର, ତୁମ୍ଭ ପାଶେ କାହାର ହୋଇବ ବାସ ?
ତୁମ୍ଭ ଅନୁଗ୍ରହ କେହୁ ପାଇବ ସ୍ୱର୍ଗ ନିବାସ ? । ଘୋଷା ।
ଯେ ଜନ ସରଳାଚାରୀ, ସଦା ଧର୍ମକର୍ମକାରୀ,
ଅନ୍ତରେ ସତ୍ୟବାଦୀ ଯେ ହୁଏ ସିଦ୍ଧ ପୁରୁଷ । ୧ ।
କାହାର ନ କରେ ଗ୍ଳାନି ମିତ୍ରର ନ କରେ ହାନି,
ପ୍ରତିବାସୀ ଅପବାଦ ନ କରେ କାହାରି ପାଶ । ୨ ।
କୁଜନକୁ ଅନାଦର, ସାଧୁଜନେ ସମାଦର,
ଧ ର୍ମାଧର୍ମ ଭିନ୍ନ ବୋଧ ଯାର ବିଚାରେ ପ୍ରକାଶ । ୩ ।
ଆପଣା ସ୍ୱୀକୃତ କଥା ନ କରଇ ତଦନ୍ୟଥା,
ପୂର୍ଣ୍ଣ କରେ ସଦାକାଳ ହାନି ହୋଇଲେ ବିଶେଷ । ୪ ।
ସୁଧଲୋଭେ କଦାଚନ କାହାକୁ ନ ଦିଏ ଋଣ
ଲାଞ୍ଚ ନେଇ ନିର୍ଦ୍ଦୋଷକୁ ନ ଦିଅଇ କେବେ ଦୋଷ । ୫ ।
ପାପ ଲାଗି ଯେଉଁ ଜନ ଅତି ଖେଦଯୁକ୍ତ ମନ,
ଯୀଶୁ ପ୍ରତି ଭକ୍ତି କରି ହୁଏ ସଦା ତାଙ୍କ ଦାସ । ୬ ।
ଛାଡ଼େ ପାପ ଅଭିଳାଷ କୁସଂସର୍ଗ ପାନ ଦୋଷ,
ଧର୍ମ ଆତ୍ମା ସୁସ୍ୱଭାବ ଯାର ମନ-ଗୃହେ ବାସ । ୭ ।
ପ୍ରାର୍ଥନାରେ ଜାଗି ରହି ଭରସାରେ ସ୍ଥିର ହୋଇ
ଅଗ୍ରସର ବିଶ୍ୱାସରେ, ପ୍ରେମେ ସଦା କରେ ବାସ । ୮ ।
ଏହି ମତ ଆଚରଣ ଯେ କରେ ଯାବଜ୍ଜୀବନ,
ମୁକ୍ତି ପାଇ ଭବାର୍ଣ୍ଣବୁ ତାର ସଦା ସ୍ୱର୍ଗ ବାସ । ୯ ।
ମାଗୁଣି ମୋର ବିଶେଷ ଧର୍ମେ ରଖ ମୋ ମାନସ,
କୃପା କରି ଜଗଦ୍ଦୀଶ ଶେଷେ ନିଅ ସ୍ୱନିବାସ । ୧୦ ।