ଯୀଶୁ ହେ, ଶୁଣି ତବ ପ୍ରତିଜ୍ଞା ବଚନ
କେଡ଼େ ଭରସା ପାଇଲି ମନେ ମୁଁ ଏକ୍ଷଣ । ଘୋଷା ।
ବୁଡ଼ି ନିରାଶ-ସାଗରେ ଥିଲି ବିଚାରି ମନରେ
ଆଉ ନାହିଁ ଉପାୟ ମୋହର,
ପାପ ମୋହର ଅଗଣ୍ୟ ସତେ କି ହେବ ମାର୍ଜନ ?
ନିଶ୍ଚୟ ଭୋଗିବି ମୁହିଁ ନରକ ଯାତନ । ୧ ।
ତୁମ୍ଭ ଅମୂଲ୍ୟ ବଚନ କରନ୍ତେ କର୍ଣ୍ଣେ ଶ୍ରବଣ
ଆନନ୍ଦେ ନାଚି ଉଠିଲା ମନ,
ଯେଣୁ ସେହି ନିମନ୍ତ୍ରଣ ଅଟେ ପାପୀଙ୍କ କାରଣ,
ନିଶ୍ଚେ ତାଙ୍କ ମଧ୍ୟେ ମୁହିଁ ଗଣା ଏକ ଜନ । ୨ ।
ତୁମ୍ଭ ପ୍ରତିଜ୍ଞାରେ ଲେଶ ନାହିଁ ମୋର ଅବିଶ୍ୱାସ,
ଦୟା ସତ୍ୟତା ତୁମ୍ଭ ଭୂଷଣ,
କେଉଁ କାଳେ କଦାଚନ ନୋହିଛି କାହିଁ ଶ୍ରବଣ
ନିରାଶ ହେବାର ତବ ପଦାଶ୍ରିତ ଜନ । ୩ ।
ମୁହିଁ ପାପୀ ଦୀନହୀନ, ନାହିଁ ମୋର ଜ୍ଞାନ ପୂଣ୍ୟ,
ଛାମୁକୁ ଆସିଛି ହିଁ ତେସନ,
ଶ୍ରୀମୁଖରେ ଉଚ୍ଚାରଣ କରିଛ ପ୍ରଭୁ ଆପଣ
ନ କରିବା ଦୂର କାହାକୁ କେଉଁ କାରଣ । ୪ ।