( ସ୍ୱର : ଦୁଃଖ କାଳରେ )
କି ମନୋହର
ଅଟେ ଦେଖ ମନ ମୋର ସେ ଅମରପୁର ! । ଘୋଷା ।
ଅଛି ସେ ଯର୍ଦ୍ଦନ ସେ ପାରିରେ, ନୁହେଁ ଦୃଷ୍ଟ ଏ ଚର୍ମ ଚକ୍ଷୁରେ
ମାଗି ଧର୍ମାତ୍ମାଙ୍କ କୃପା ବର
ଚାହଁ ହେ ବିଶ୍ୱାସ-ଦୃଷ୍ଟି ମେଲାଇ ତୋହର । ୧ ।
ଆହା ସେ କେଡ଼େ ଉତ୍ତମ ଦେଶ ! ବର୍ଣ୍ଣିପାରେ କି ଛାର ମନୁଷ୍ୟ !
କାହିଁ ଜଗତେ ଉପମା ତାର ?
କୋଟି ଏଦନ ତା ଆଗେ ଅସାରୁ ଅସାର । ୨ ।
ସୁଖ ଆନନ୍ଦ ଶାନ୍ତିର ନଦୀ ବହୁଥାଏ ତହିଁ ନିରବଧି,
କି ସୁନିର୍ମଳ ଅମୃତ ନୀର !
ନାଶେ ନିଃଶେଷେ ସକଳ ତୃଷାଦି ସତ୍ୱର । ୩ ।
ଅତି ସୁମିଷ୍ଟ ଅମୃତ ଫଳ ଫଳୁଥାଏ ତହିଁ ସଦାକାଳ,
ବାରେ କଲେ ଆସ୍ୱାଦନ ତାର
କ୍ଷୁଧା ନୁହଇ କୌଣସି କାଳେ ହିଁ ଆବର । ୪ ।
ନାହିଁ ଶୋକ ଦୁଃଖ ମୃତ୍ୟୁ ତହିଁ,
ସମ୍ପୂର୍ଣ୍ଣ ଆନନ୍ଦ ସ୍ଥାନ ସେହି; କୌଣସି ଅଞ୍ଚଳରେ ହିଁ ତାର
କେବେ ନୁହେଁ ଶୁଣା ଶୋକ କ୍ରନ୍ଦନର ସ୍ୱର । ୫ ।
ଧନ୍ୟ ଧନ୍ୟ ସେ ଅତୁଲ୍ୟ ଦେଶ,
କେବେ ହେବ ତହିଁ ମୋ ନିବାସ ?
କେବେ ହେବ ଏଡ଼େ ଭାଗ୍ୟ ମୋର ?
ତହିଁ ଦେଖିବି ମୁଁ ଶ୍ରୀମୁଖ ମୋ ପ୍ରଭୁଙ୍କର । ୬ ।