sobu sukho bhoraa sontaapo paasora

ସବୁ ସୁଖ ଭରା       ସନ୍ତାପ ପାସୋରା ସୁଧାମୟ ଯୀଶୁ ନାମ

ଡାକ ଡାକ ଥରେ     ଆକୁଳ ଅନ୍ତରେ

ପୂରିଯିବ ମନସ୍କାମ   । ଘୋଷା ।

ଚିତ୍ତ-ବିନୋଦନ       ଭକତ ରଞ୍ଜନ

ପାପୀ ହୃଦୟର       ତାପ ନିବାରଣ

ଡାକ ଡାକ ସେହି     ଜଗତ ଜୀବନ

ପତିତ ପାବନ ନାମ  । ୧ ।

ସନ୍ଧ୍ୟା ପ୍ରାତେ ଯେବେ            ବିହଙ୍ଗ କାକଳି 

ବିଶ୍ୱ ଜଡ଼ତାରୁ    ଉଠେରେ ଆକୁଳି,

ସେ ମୂର୍ଚ୍ଛନା ସିନା       ସେ ନାମ ଅର୍ଚ୍ଚନା

ଯା ସ୍ୱରଗ ସୁଖ ଧାମ । ୨ ।

ତିକ୍ତ ପ୍ରାଣେ ଯେବେ  ପାତକ ଶୟନେ

ଚାହିଁ ଚାରିଦିଗେ      ନୀରବ ନୟନେ,

ଡାକ ରୋଗ ଘୋରେ            ସେହି ନାମ ବାରେ

ପାଇବୁ ପ୍ରାଣେ ଆରାମ । ୩ ।

ଚିନ୍ତା ଘେରେ ଯଦି ସଂସାର ବନ୍ଧନେ କ୍ଳାନ୍ତ ଯଦି ହୁଅ କରମ ସାଧନେ,

ଅବସାଦ ହର        ସେହି ନାମ ସ୍ମର

ପୂରିଯିବ ମନସ୍କାମ । ୪ ।

ରୁଦ୍ଧ କରି ତବ ହୃଦୟ ଦୁଆର ସ୍ଥିର ଚିତ୍ତେ ଶୁଣ ସେ ନାମ ଝଙ୍କାର,

ଅଶବ୍ଦ ଶବଦ         ବାଣୀ କରି ଭେଦ

ଉଠିବରେ ଅବିରାମ । ୫ ।

Leave a comment

Your email address will not be published. Required fields are marked *