ଖ୍ରୀଷ୍ଟିୟାନ ସଭା ଦେଖି ହୃଷ୍ଟ ହୁଏ ମନ, ହୃଷ୍ଟ ହୁଏ ମନ,
ଏକକୁ ଆରେକ ଭାଇ ଭାଇ ସମ୍ବୋଧନ । ଘୋଷା ।
ମିଶନେରୀଗଣ ଆସି ସୁସମାଚାର ପ୍ରକାଶି,
ତାଙ୍କ ଶ୍ରମଫଳ ପ୍ରଭୁ କରାନ୍ତି ଦର୍ଶନ । ୧ ।
ଖ୍ରୀଷ୍ଟାଶ୍ରିତ ସଭା ଦେଖି ମନ ହୁଏ ଅତି ସୁଖୀ,
ଏଣୁ ପିତା ପ୍ରଭୁଙ୍କର କର ହେ ଭଜନ । ୨ ।
ନାନା ଜାତି ନାନା ଭାଷୀ ମିଳନ୍ତି ଏକତ୍ର ଆସି,
ଏକାବେଳେ ପାସୋରନ୍ତି ଜାତିର ବନ୍ଧନ । ୩ ।
ଶୟତାନର ବନ୍ଧନ କଲେ ପ୍ରଭୁ ବିମୋଚନ,
ତାଙ୍କ ସ୍ତୁତି କର ମନ ଯାବତ ଜୀବନ । ୪ ।
ଯେହ୍ନେ ମେଳ ପୃଥିବୀରେ ତେହ୍ନେ ହେଉ ସ୍ୱର୍ଗପୁରେ,
ନ ହଜୁ ଗୋଟିଏ ପ୍ରାଣ ମାଗି ଏ କଲ୍ୟାଣ । ୫ ।
ପ୍ରଭୁ ଯୀଶୁ ଖ୍ରୀଷ୍ଟାଶ୍ରିତ ସର୍ବେ ହୁଅ ଆନନ୍ଦିତ,
ଓଡ଼ିଶା ଦେଶେ ଉଦିତ ଧର୍ମର ତପନ । ୬ ।
ପୃଥିବୀରେ ଆଦ୍ୟ ପ୍ରାନ୍ତ ସର୍ବେ ହୋନ୍ତୁ ଖ୍ରୀଷ୍ଟ ଭକ୍ତ,
ଥରହରେ ଶୟତାନ କରୁ ପଳାୟନ । ୭ ।