ଦେଖ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ପରିରେ

ନ ମିଳଇ ତ୍ରାଣକର୍ତ୍ତା ସଂସାରେ,

କେହି ନାହିଁ କରି ତାଙ୍କ କ୍ରିୟା ପାରି ଜଗତ ଜନଙ୍କ ମଧ୍ୟରେ । ଘୋଷା । 

 

ସେ ଦୟା ସାଗର ଈଶ୍ୱର କୁମର ସ୍ୱର୍ଗୁ ଅଇଲେ ନରାକାରେ,

ଭ୍ରମି ନାନା ଦେଶ ଦେଲେ ଉପଦେଶ ହିତ ଚେଷ୍ଟା କଲେ ନିତ୍ୟରେ । ୧ ।

 

 ପାପୀଙ୍କ କାରଣ ହେଲେ ଦୀନହୀନ, ପ୍ରାୟଶ୍ଚିତ୍ତ କଲେ କ୍ରୁଶରେ,

ପାପୀଙ୍କର ମହାପାପ ଋଣସବୁ ଶୁଝିଲେ ନିଃଶେଷ ରୂପରେ । ୨ । 

 

ହୋଇଣ ଧାର୍ମିକ ଭୋଗିଲେ କି ଦୁଃଖ, ହୋଇଲେ ବ୍ୟାକୁଳ ପ୍ରାଣରେ,

ପାପୀଙ୍କ କାରଣ ଦାରୁଣ କଷଣ ଯାତନା ଭୋଗିଲେ ଶରୀରେ । ୩ । 

 

ହସ୍ତ ପାଦେ କଣ୍ଟା ମାରଣର ବ୍ୟଥା, କଣ୍ଟାର ମୁକୁଟ ମୁଣ୍ଡରେ,

ପଡ଼ିଲା ତାଙ୍କର ଅମୂଲ୍ୟ ରୁଧିର ଧାର ଧାର ହୋଇ ଭୂମିରେ । ୪ । 

 

କେଡ଼େ ଦୟାଶୀଳ ସେ ଯୀଶୁ ଈଶ୍ୱର, ମଲେ ପାପୀଙ୍କର ବଦଳେ,

ପୁଣି ଦୟା ବହି ଡାକୁଛନ୍ତି ସେହି, ଆସ ଆସ ପାପୀ ଶୀଘ୍ରରେ। 

 

ଏଣୁ ଭାଇ, ମିଥ୍ୟା ଆଶ୍ରା ଛାଡ଼ି ଦେଇ ଭରସା ରଖହେ ତାଙ୍କରେ,

ଆତ୍ମା ପରିତ୍ରାଣ କେବଳ ପ୍ରାପଣ ଯୀଶୁ ଖ୍ରୀଷ୍ଟଙ୍କ ମରଣରେ । ୬ ।

ସୂଚୀମାଳାକୁ ଫେରନ୍ତୁ

Leave a Reply

Your email address will not be published. Required fields are marked *