ଆହେ ସୁନ୍ଦର ଆସ ଆଜି ତୁମେ, ଭାଷ ତୁମ ବାଣୀ ଏ ମିଳନରେ,
ତ୍ୟାଗର ସରସ ପରଶ ଦିଅହେ, ଉଦ୍ଦୀପନା ଆସୁ ଅନନ୍ତରେ । ଘୋଷା ।
ଜାଗରେ ଉତ୍କଳ ସନ୍ତାନ ଆଜି କହୁଛ ଗୋପନ ମନ୍ତ୍ରରେ,
ମୋହରି ଉଦାର ବାଣୀର ପ୍ରଚାର-କରମେ ନିୟତେ ଲାଗରେ । ୧ ।
ମୋହରି ଶରଣ ବରଣ କର, କ୍ରୁଶର ପତାକା ଧରରେ,
ତ୍ୟାଗର ସରସ ସାଜରେ ସାଜିଲେ ସୁଖର ସନ୍ଧାନ ମିଳେରେ । ୨ ।
ହିଂସାର କୃପାଣ ଫିଙ୍ଗରେ ଦୂରେ, ପ୍ରେମର ଭୂଷଣେ ସାଜରେ,
ତେବେ ଯେ ମୋହରି ପ୍ରେମର ମନ୍ତର ବ୍ୟାପିବ ସିନା ଏ ଧରାରେ । ୩ ।
କ୍ଷମାର ମନ୍ତ୍ରରେ ହୁଅ ହେ ପୂତ, ଶାନ୍ତିର ପତାକା ଧରରେ,
ତେବେ ତ ମୋହରି ସନ୍ତାନସନ୍ତତି ଜାଣିବେ ଜଗତ ଜନରେ । ୪ ।
ଜାଗରେ ମୋହର ଉତ୍କଳ ସନ୍ତାନ, ମୋ ପ୍ରେମ ମନ୍ତ୍ରରେ ଜାଗରେ,
ମୁଁ ଅଛି ସାଥିରେ ନିୟତ ତୁମର, ମୋ ରାଜ୍ୟ ବିସ୍ତାରେ ଲାଗରେ । ୫ ।