ତୁଇ କୋଟି କୋଟି ଡାବୁ ରଖି ନରକେ ଗଲେ କାଇ ଲାଭ …. ଶ୍ରୁତି ମଧୁର କୋରାପୁଟିଆ ଗୀତ ଟିଏ l ଭାରି ମାଇଲେଜ୍ ନେଉଛି l ଟୋକା ଠାରୁ ବୁଢା ପର୍ଯ୍ୟନ୍ତ ଡିଜେ ର ତାଳେ ତାଳେ ନାଚୁଛନ୍ତି l ଗୀତ ଟି କହୁଛି କୋଟି କୋଟି ଟଙ୍କା ଥାଇ ବି ଜଣେ ନର୍କ ଗଲେ ସେଥିରେ କି ଲାଭ l ତଥାପି ଲୋକେ ଡାବୁ ପାଇଁ ପାଗଳ l ଟଙ୍କା ଧନୀ କୁ ଦରକାର l ଗରିବ କୁ ବି ଦରକାର l ଟଙ୍କା ରୋଗୀ କୁ ଦରକାର l ଡାକ୍ତର କୁ ବି ଦରକାର l ଧନ ସମସ୍ତଙ୍କୁ ଦରକାର l ସତରେ ଯାହା ପାଖେ ଧନ ଅଛି ସେ କେତେ ଭାଗ୍ୟବାନ l ଜୀବନର ସବୁ ସୁଖ ସେ ଅନୁଭବ କରିପାରୁଛି l ତାର ସ୍ତ୍ରୀ ପିଲା ଙ୍କୁ ସବୁ ସୁଖ ଦେଇପାରୁଛି l ଗରିବ ଟିଏ ସେ ସୁଖ ପାଇଁ ପାରିବ କେଉଁଠି ! ହେ ପ୍ରଭୁ, ଯାହା ପାଖେ ଯେତେ ଧନ ଅଛି ତାକୁ ସେତେ ଧନୀ ତୁମେ କରୁଛ l ଯାହା ପାଖରେ କିଛି ନାହଁ ସେ ଯେତେ ଖୋଜିଲେ ତାର ଊଣା ହିଁ ରହୁଛି l ଏ କି ବିଚିତ୍ର ନିୟମ l ଲକଡାଉନ ରେ ଭାରି ଅଭାବ l କାମ ଧନ୍ଦା ନାହିଁ l ଚର୍ଚ୍ଚ ହେଉ ନାହିଁ l ହାଉସ ଭିଜିଟିଂ ନାହିଁ l ଟିକେ ଅନାଅ l ଟିକେ କିଛି ଦିଅ ହେ ପ୍ରଭୁ l
ଶିକ୍ଷାଗତ ଯୋଗ୍ୟତା କଥା ପଚାରନ୍ତୁ ନାହିଁ ଆଜ୍ଞା l ସେଠୁ କଣ ମିଳିବ ଆମ ଧନ କୁବେର ସାର୍ ମାନଙ୍କୁ l ତାଙ୍କ ସହିତ ବ୍ୟାଙ୍କ ବାଲାନ୍ସ, ବଙ୍ଗଳା ଆଉ ସୌଖିନ କାର ବିଷୟରେ ଟିକେ କଥା ହୁଅନ୍ତୁ l ଶୁଣି କି ତାଯୁବ ହୋଇଯିବେ l ତାଙ୍କ ସମ୍ପତ୍ତିର ତାଲିକା ଶୁଣି l ତାଙ୍କୁ ଲୋକେ ଅଲବତ ଉଚ୍ଚ ଆସନ ଦେବାକୁ ବାଧ୍ୟ l ନ ଦେବାର ବି ବାଟ ନାହିଁ l କାରଣ ସମସ୍ତେ ତାଙ୍କ ଟଙ୍କା ରେ କିଣା ସରିଛନ୍ତି l ଯେତେ ବି ଶିକ୍ଷାଗତ ଯୋଗ୍ୟତା ତୁମର ଥିଲେ କଣ ହେବ l ତୁମେ ସେମାନଙ୍କ ଆଗେ ପୁରା ଅଗାଡି, ଅଳସୁଆ ଆଉ ଅକର୍ମଣ୍ୟ l
ଧନୀ ହେବାକୁ କିଏ ଇଛା ନ କରେ l ଆମେ ତ ମନା ବି କରୁନୁ l ଆପଣ ଧନୀ କୁବେର ସାର୍ ହୁଅନ୍ତୁ ବୋଲି ତ ଆମେ ଚାହୁଁଛୁ l ଟଙ୍କା ବିନା ଜଣେ ଭଲରେ ରହି ପାରିବ କି ! ତାର ଆବଶ୍ୟକତା ଟଙ୍କା ବିନା ଲାଘବ ହୋଇପାରିବ କି ! କେବେ ନୁହଁ l ଟଙ୍କା ସଭିଙ୍କ ପାଇଁ ଜରୁରୀ l କିନ୍ତୁ ଆମେ ସେ ବେକ ଚିପା ଟଙ୍କା, ଧପାବାଜ ଟଙ୍କା, କଳା ବଜେରୀ ଟଙ୍କା, ଗଞ୍ଜା ବିକା ଟଙ୍କା କୁ ଆମେ ବିରୋଧ କରୁଛୁ l ଅନ୍ୟାୟ ଧନ ଆସେ ସତ କିନ୍ତୁ ଗଲା ବେଳେ ମୂଳରୁ ବୋହି କି ନେଇଯାଏ l ବାଇବଲ ରେ କଣ ଧନ କୁବେର ସାର ମାନଙ୍କ କଥା ନାହିଁ l ବହୁତ ଅଛି l ଅବ୍ରହାମ, ଆୟୁବ ଗୋଟିଏ ଗୋଟିଏ ଧନୀ କୁବେର ମାନେ l ଏମାନେ କାହାର ବେକ ଚିପି ଧନୀ ହୋଇ ନ ଥିଲେ l
କଷ୍ଟ ଉପାର୍ଜିତ ଧନରେ ଧନୀ ହେଲେ ତାର ମଜା ଅଛି l ଆଜିକାଲିର ଲୋକେ ଗୋଟିଏ ଦିନ ରେ କରୋଡ଼ପତି ହେବା ପାଇଁ ଚାହୁଁଛନ୍ତି l ବିଲ୍ ଗେଟସ୍ ଆଉ ମୁକେଶ ଅମ୍ବାନୀ ଭଳି ସପ୍ନ ଦେଖୁଛନ୍ତି l ଧନୀ ହେବା ପାଇଁ କିଏ ତ ନକଲି ଟଙ୍କା ଛାପୁଛି l କିଏ ଦଲାଲ ସାଜୁଛି l କିଏ ତ ଗଳା ବାଟ ଖୋଜୁଛି l କିଏ ତ ବ୍ରାଉନ ସୁଗାର ଆଉ ଗଞ୍ଜେଇ ବିକ୍ରି କରୁଛି l କେତେ ଦିନ ଚାଲିବ ଏସବୁ ଧନ୍ଦା l ଧରାପଡ଼ି ଅନେକ ଧନୀ ହେବାର ମଜା ଛାଖୁଛନ୍ତି l ତାଙ୍କ ଯୋଗୁ ପରିବାର ବଦନାମ ହେଉଛି l କି ଅପମାନ ସତରେ l ସାମାନ୍ୟ ଧନୀ ହେବା ପାଇଁ ଜୀବନସାରା ଅପମାନ ମୁଣ୍ଡାଇବାକୁ ପଡୁଛି l ବାଇବଲ କହେ ଧନ ଅପେକ୍ଷା ଉତ୍ତମ ନାମ ଭଲ (ହିତୋପଦେଶ 22:1) l ଉତ୍ତମ ନାମ ଜୀବନରେ ଭାରି ମୂଲ୍ୟ ବହନ କରେ l ସବୁ ଆଡେ, ସବୁ ବେଳେ କାମ ଦିଏ l ଧନ ନ ଥିଲେ କଣ ହେଲା l ସୁନାମ ଟିକେ ଥାଉ l ସୁନାମ ଥିଲେ ଜୀବନ ର ବହୁ ଯୁଦ୍ଧରେ ଜଣେ ପାର ହୋଇଯିବ l
ଧନୀ କୁବେର ସାର୍ ମାନଙ୍କ କଣ ସମୟ ଥାଏ ପ୍ରାର୍ଥନାରେ ଟିକେ ସମୟ କାଟିବାକୁ l ଇଶ୍ୱରଙ୍କ ସାନିଧ୍ୟରେ ରହିବାକୁ l ଧନୀ କୁବେର ସାର୍ ଥିଲେ ଆୟୁବ l ଅଜସ୍ର ସମ୍ପତି l ଦାସ ଦାସୀ l ଉଷ୍ଟ୍ର, ମେଷ ଆଉ ବଳଦ ରେ ଭରା ତାଙ୍କ ପରିବାର l ମାତ୍ର ପ୍ରାର୍ଥନାରେ ତାଙ୍କ ଅବହେଳା ନ ଥିଲା l କାଳେ ପିଲା ମାନେ ପାପ କରିଥିବେ ଭାବି ପ୍ରତିଥର ପ୍ରଭାତରେ ପ୍ରାର୍ଥନାରେ ଲାଗି ରହୁଥିଲେ l ଧନ ସିନା ଶାରୀରିକ ଆବଶ୍ୟକତା ପୂରଣ କରିବ l କଣ ଆତ୍ମିକ ଜୀବନର ଆବଶ୍ୟକତା ପୂରଣ କରିପାରିବ କି ! କେବେ ନୁହଁ l ଆମ ସମାଜ ର କେତେ ଧନୀ କୁବେର ସାର୍ ମାନେ ନିଜ ଆତ୍ମିକ ଜୀବନ ବିଷୟରେ ଆଜି ଚିନ୍ତିତ ! ବୋଧେ ବହୁତ କମ l ସେଥିପାଇଁ ବାଇବଲ କହେ ଛୁଞ୍ଚି ର ଛିଦ୍ର ଦେଇ ଓଟ ଗଳିଯିବା ସହଜ ମାତ୍ର ଧନୀ ର ସ୍ୱର୍ଗ ରାଜ୍ୟ ପ୍ରବେଶ ଅତି କଷ୍ଟ ( ମାଥିଉ 19:24 ) l
ଧନ ଆଉ ଯୌବନ ସଦା ବେଳେ ରହେନା l ସବୁ ଅସ୍ଥାୟୀ l ସବୁ ଅସାର l ଆଜି ଯିଏ କରୋଡ଼ପତି କାଲି ସେ ଦାଣ୍ଡ ର ଭିକାରି l ମଣିଷ ଜୀବନ କେତେ ବେଳେ କୁଆଡେ ଗତି କରୁଛି କିଏ ଜାଣେନା l ଆଜି ଯିଏ କହୁଛି ମୋ ପାଖେ ସବୁ ଅଛି l କାଲି ତା ପାଖେ ସେ ସବୁ ରହିବ ବୋଲି ଗ୍ୟାରେଣ୍ଟି କିଏ ଦେଇପାରିବ ! ଅନେକ ଉଦାହରଣ ଅଛି l ସହରରେ ଧନୀ ବଢ଼େଇ ଟିଏ ଥିଲା l ସେ ବି ଗୋଟିଏ ଧନୀ କୁବେର ଥିଲା l କାଠ କାମ ରେ ଭାରି ନିପୁଣ ଥିଲା l ସମୟ ନ ଥିଲା ଗରାଖ ମାନଙ୍କ ଅର୍ଡ଼ର ରଖିବାକୁ l ଘରେ ପୁଳା ପୁଳା ଟଙ୍କା ସଦାବେଳେ l ସେତେ ବେଳେ ଗରିବ ଦୁନିଆ l ଏତେ ଟଙ୍କା ଦେଖି ଲୋକେ ତାଙ୍କୁ ଇଜ୍ଜତ ମଧ୍ୟ ଦେଉଥିଲେ l ପ୍ରତି ସନ୍ଧ୍ୟାରେ ତାଙ୍କ ଘରେ ତାସ ର ଆସର ଜମୁଥିଲା l ଖ୍ରୀଷ୍ଟିଆନ ହୋଇ ବି ଚର୍ଚ୍ଚ ଯିବା ବୋଧେ ଲୋକେ କେବେ ଦେଖି ନ ଥିବେ ତାଙ୍କୁ l ମାଡି ଆସିଲା ଅଭାବ l ସେଇ ଠାଣି ଆଉ ରହିଲାନି l ଯେଉଁ ସାଙ୍ଗ ମାନେ ଦିନେ ତାର ନିଜର ଥିଲେ ସେମାନେ ପର କରିଦେଲେ l ପିଲାଙ୍କ ବୟସ ବି ଗଡ଼ିଗଲା l ପିଲା ଙ୍କୁ ବାହା ଘର ବି କରି ପାରିଲାନି ଧନୀ ବଢ଼େଇ ଟି l ମଲା ବେଳକୁ ଟଙ୍କା ନ ଥିଲା କଫିନ ଟି ଯୋଗାଡ଼ିବାକୁ l ଚାନ୍ଦା ଆଦାୟ କରି କଫିନ ଯୋଗାଡ଼ିବାକୁ ପଡିଥିଲା l ସତରେ ଧନ ସବୁ ଦିନ ଜଣ କ ପାଖରେ ରହେନା l ସୁଯୋଗ ଦେଖି ଡିଆଁ ମାରିଦିଏ l ତାକୁ ରଖି ପାରିଲେ ହେଲା l ତାକୁ ଧରି ପାରିଲେ ହେଲା l
ବସି ଖାଇଲେ ନଦୀ ବାଲି ବି ସରେ l ବାପା ମାଆ ଙ୍କ ସମ୍ପତି କୁ ନେଇ କିଛି ଧନୀ ସାଜିଛନ୍ତି ଆଜି l ନିଜ ଗୋଡ଼ରେ ମାଟି ତାଡି ସେମାନେ ଶିଖି ନାହାନ୍ତି l କିନ୍ତୁ ବାପା ମାଆ ଙ୍କ ସମ୍ପତି ରେ ସେମାନେ ଅୟସ କରୁଛନ୍ତି l ସେମାନେ ବି ଭାବନ୍ତି ସେମାନେ ବି ଗୋଟେ ଗୋଟେ ବଡ଼ ଧନୀ l ହଉ ଭାବୁ ଥାଅ କିଛି ଅସୁବିଧା ନାହିଁ l ବାପା ମାଆ ଙ୍କ ଝାଳ ବୁହା ସମ୍ପତି କୁ ଆଜି ଟିକେ କାଲି ଟିକେ ବିକି ମଉଜ କରୁଛ l ସବୁ ସରିଗଲା ପରେ ଆଉ କଣ ଥିବ ଯେ ତୁମେ ଅନ୍ୟକୁ ଦେଖେଇବ l ବାପା ମାଆଙ୍କ ଶେଷ ସନ୍ତକ ଟିକେ ଥାଉ ଅନ୍ୟକୁ ଦେଖାଇବାକୁ l
ହେ ପ୍ରଭୁ, ଧନୀ କର ନାହିଁ l ଧନ ବଢିଲେ ଗର୍ବ ଆସିଯିବ l ଦୁନିଆ ର ରଙ୍ଗ ରସ ରୁ ପାପର ଆଖି କୁ ଆଉ ଅଟକାଇ ହେବନି l ମନ ଯାହା ଚାହିଁବ ତାହା କରି ବସିବ l ତୁମକୁ ଭୁଲି ହୋଇଯିବ l ଗରିବ ବି କର ନାହିଁ ହେ ପ୍ରଭୁ l ଗରିବ ହେଲେ ଅନ୍ୟ ନିକଟରେ ହାତ ପାତିବାକୁ ପଡିବ l ତୁମର ଅପମାନ ହେବ l ଏତିକି ଅନୁରୋଧ ନିତି ପଡିର ଭାଗ ଟିକେ ଦେଉଥାଅ l ସେତିକି ଯଥେଷ୍ଟ l ଯେମିତି ରଖିଛ ଆଜି ସେମିତି ରଖିବା କୁ ଯଦି ଚାହିଁବ ଆଗାମୀ ଦିନ ରେ l ସେମିତି ବି ରଖ l ଦୁଃଖ କାହିଁକି ଅବା ଆମେ କରିବୁ l ତୁମ ଗୌରବ ନିତି ହେଉ ଥାଉ l