(ସ୍ୱର : ମନ ହେଜିଲେ ପ୍ରଭୁ କୃପା)
ଦୁଃଖନାଶନ ହେ, ସୁଖ ଦିଅ ମୋର ମନେ,
ବେଳକୁ ବେଳ ତ ପ୍ରବଳି ଉଠଇ ଦୁଃଖ ତରଙ୍ଗ ଯେସନେ । ଘୋଷା ।
ଦୁଃଖର ସଂସାରେ ମାନବ ଶରୀରେ ସଙ୍ଗେ ସଙ୍ଗେ ଛାୟା ସମ
ଅପାର କଷଣ ଦୁଃଖାଦି ମରଣ ଲାଗିଥାଏ ଅନୁକ୍ଷଣ । ୧ ।
ମହୀପରେ ମୁହିଁ ସହି ନ ପାରଇ ଶରୀର ଯାତନାମାନ
ମୁହିଁ ନିରାଶ୍ରୟ, ହୁଅ ମୋ ସହାୟ, ଆହେ ଆରତ-ଭଞ୍ଜନ । ୨ ।
ମୋର ନାହିଁ ଗୁଣ ଜ୍ଞାନ ଧର୍ମ କର୍ମ, ମୁଁ ସମ୍ପୂର୍ଣ୍ଣ ଶକ୍ତିହୀନ,
ମୋ ଦୁର୍ବଳପଣ ଦେଖି ଶୟତାନ ସହଜେ ନାଶଇ ପ୍ରାଣ । ୩ ।
ମୋ ପାଇଁ ସନ୍ତାପ କଷଣ ମରଣ ଭୋଗିଛ ଯୀଶୁ ରାଜନ,
ତବ ଶ୍ରୀଚରଣ ମହାମେରୁ ସମ ତହିଁରେ ମୋର ଶରଣ । ୪ ।