ବୋଲ ଧନ୍ୟ, ବୋଲ ଧନ୍ୟ ଯିହୋବାଙ୍କ ନାମ,
ସେ ମହତ୍ ନାମ, ବଞ୍ଚାଇଣ ଦେଖାଇଲେ ବରଷ ନୂତନ । ଘୋଷା ।
ଗତ ସନେ ବହୁଜନ ପାପରେ ତେଜି ଜୀବନ
ନରକେ କଲେ ଗମନ, ମୋ ପ୍ରତି କି ପ୍ରେମ ! । ୧ ।
ଅନେକେ ରୋଗ ଶୋକରେ ଅନ୍ନ ବସ୍ତ୍ର ଅଭାବରେ
ପତିତ ନାନା କ୍ଳେଶରେ, ମୁଁ ନୁହେଁ ତେସନ । ୨ ।
ସବଳ ସୁସ୍ଥ ଶରୀରେ ନୂଆ ବର୍ଷ ଦେଖାଇଲେ,
ସେ ଦୟା ହେଜି ମନରେ କର ଗୁଣ ଗାନ । ୩ ।
ମୋର ପାପ ଅନୁସାରେ ପ୍ରତିଫଳ ସେ ନ ଦେଲେ,
ଦୟା କରି ରକ୍ଷା କଲେ, ଧନ୍ୟ ତାଙ୍କ ପ୍ରେମ । ୪ ।
ଏହି ନୂତନ ବରଷେ ଯେହ୍ନେ ନୂଆ ମନ ଆସେ,
ଧର୍ମରୂପ ଫଳ ପୁଷ୍ପେ ହୋଇ ଫଳବାନ । ୫ ।
ଅଫଳନ୍ତି ବୃକ୍ଷ ପରି ମୁଁ ବୃଥା ସ୍ଥାନ ଆବୋରି,
ଛେଦନେ ନମ୍ରେ କହିଲେ, ଥାଉ କିଛି ଦିନ । ୬ ।
ଆହେ ପ୍ରଭୁ, ମୂଳ ଖୋଳି ଖତ ଦିଅ ଯେହ୍ନେ ଫଳି,
ହୋଇ ଯୋଗ୍ୟ ତବ ପୁରୀ ଶେଷେ ପାଇ ସ୍ଥାନ । ୭ ।
One thought on “bolo dhanyo bolo dhanyo”
Goodbye u