mone dyaayi kede shanti mote miloyee

ମନେ ଧ୍ୟାୟୀ କେଡ଼େ ଶାନ୍ତି ମୋତେ ମିଳଇ;

ମୋ ଦିନ ବହନ ଯାଉଛି ବହି । ଘୋଷା ।

ପରମ ପିତା ଗୃହରୁ ଅନ୍ତର ମୁଁ ହୋଇ ଶୋକ ପରିପୂର୍ଣ୍ଣ ସଂସାରେ ଅଛି ରହି,

ସମୟ ତା ଶୀଘ୍ରଗାମୀ ପକ୍ଷେ ମୋର ବହି

ଦିନୁଁ ଦିନୁଁ ପାଖେ ନିଅଇ । ୧ ।

କ୍ରମେ ଯାତ୍ରୀ ଯହୁଁ ବାସ ସମୀପ ହୁଅଇ,

ଦିନୁଁ ଦିନୁଁ ତାହା ଆନନ୍ଦ କି ନ ବଢ଼ଇ ?

ସେପରି ଆନନ୍ଦ ମୋ ଅନୁଭବ ହୁଅଇ,

ଦିନକୁ ସ୍ୱପ୍ନ ମୁଁ ମଣଇ । ୨ । 

 

କି ପରମ ସେହି ସ୍ୱର୍ଗୀୟ ଧାମ ଅଟଇ !

ତାହାକୁ ଉପମା ଦେବା ପାଇଁ ଆଉ ନାହିଁ,

ମାନବର ଜନମ ଯେ ସଫଳ ହୁଅଇ ବାରେ ଦୃଷ୍ଟି ପଡ଼ିଲେ ତହିଁ । ୩ ।

ଯେ ମୋତେ କରିଲେ ପ୍ରେମ ନିଜ ପ୍ରାଣ ଦେଇ,

ଦେଖିବି ତହିଁ ତାହାଙ୍କୁ ସମୀପରେ ଥାଇ,

ମଣିବି ସବୁ କାମନା ସିଦ୍ଧ ବୋଲି ମୁହିଁ

ଦର୍ଶନେ ପରିତୃପ୍ତ ହୋଇ । ୪ ।

ପାଇବି ଯେଉଁ କାଳରେ ତାଙ୍କ ଭେଟ ମୁହିଁ 

ଅକଥ୍ୟ ଆନନ୍ଦ ମନେ ଜନ୍ମିବ କି ନାହିଁ ?

ପଡ଼ିବି ଚରଣେ ପ୍ରେମ ଅଶ୍ରୁ ବରଷାଇ,

ବଚନ ତ ସ୍ଫୁରିବ ନାହିଁ । ୫ । 

 

ନିତ୍ୟ ଆନନ୍ଦ ହରଷ ମନ ମଧ୍ୟେ ପାଇ

ଗତ ଦୁଃଖକୁ ମଣିବି ସ୍ୱପ୍ନ ପରି ମୁହିଁ,

ପରମାନନ୍ଦେ ପ୍ରଭୁଙ୍କ ସମୀପରେ ରହି କାଟିବି ଚିରକାଳେ ମୁହିଁ । ୬ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *