ପ୍ରାର୍ଥନାରେ ହୁଅ ପ୍ରବୃତ୍ତ, ଦୟା ସିଂହାସନ ଆଗେ ଆଣ୍ଠୁ ପକାଅ ସମସ୍ତ । ଘୋଷା ।
ପ୍ରାର୍ଥନା କାଳରେ କେତେ ବିଷୟ ଜନ୍ମାଏ ବାଧା ମନରେ !
ତେବେ ମଧ୍ୟ ଯେଉଁ ନର ପ୍ରାର୍ଥନାକୁ ଜାଣେ ସାର,
ହୁଅଇ ସେ ସଚେଷ୍ଟିତ ପ୍ରାର୍ଥନାରେ ଅବିରତ । ୧ ।
ପ୍ରାର୍ଥନାର ଗୁଣ, ନିବିଡ଼ ମେଘକୁ କରଇ ଛିନ୍ନଭିନ୍ନ,
ଯାକୁବର ଦୃଶ୍ୟ-ଶିଢ଼ି ପ୍ରାର୍ଥନାରେ ତହିଁ ଚଢ଼ି
ହୁଏ ଆଶୀର୍ବାଦ ଦତ୍ତ, ଧର୍ମେ କରେ ସ୍ଥିର ଚିତ୍ତ । ୨ ।
ମୋଶା ଯେ ପର୍ଯ୍ୟନ୍ତ ହାତ ଟେକି ପ୍ରାର୍ଥନାରେ ଥିଲେ ଏକାନ୍ତ ?
ଇସ୍ରାୟେଲ ଜୟ କଲେ, ଅମାଲେକ ହାରିଗଲେ;
ମାତ୍ର ସେ ନୁଆନ୍ତେ ହାତ ଇସ୍ରାୟେଲ ପରାଜିତ । ୩ ।
ପ୍ରାର୍ଥନା ନିବୃତ୍ତି କଲେ ହୁଅଇ ଦୁର୍ବଳ ବିଶ୍ୱାସ ଭକ୍ତି,
ପ୍ରାର୍ଥନାରେ ପରିଷ୍କୃତ ହୁଏ ଧର୍ମ-ଅସ୍ତ୍ରଶସ୍ତ୍ର;
ପ୍ରାର୍ଥନା ଦେଖି ହୁଅଇ ଶୟତାନ ମହାଭୀତ । ୪ ।
ଭାଇ, ଅବିରତ ପ୍ରାର୍ଥନାରେ ହୁଅ ତୁମ୍ଭେ ଉଦ୍ଯୋଗୀ ଚିତ୍ତ,
ପ୍ରାର୍ଥନା କରାଏ ପୁଷ୍ଟି, ପ୍ରାର୍ଥନା ଜନ୍ମାଏ ତୁଷ୍ଟି;
ହୋଇଲେ ପ୍ରାର୍ଥନା ଶୂନ୍ୟ ଖ୍ରୀଷ୍ଟିୟାନ ଅଟେ ମୃତ । ୫ ।