ଆହେ ଦୀନବନ୍ଧୁ, ଫେଡ଼ କଷ୍ଟ ମୋହର aahe dino bandhu phedo kasta mohoro

ଆହେ ଦୀନବନ୍ଧୁ, ଫେଡ଼ କଷ୍ଟ ମୋହର । ଘୋଷା ।
 
ତୁମ୍ଭେ ସର୍ବଶକ୍ତିମାନ, ଦୟାରେ ସିନ୍ଧୁ ସମାନ
ତ୍ରିପୁରେ ଅସାଧ୍ୟ କିଛି ନାହିଁ ତୁମ୍ଭର । ୧ ।
 

ଦୁଃଖ-ଶୋକ-ପଙ୍କୁ କେତେ ଉଦ୍ଧାରିଛ ନିଜ ହାତେ,
କି ବର୍ଣ୍ଣିବି ତାହା ଏହି ମୁଖେ ମୋହର । ୨ ।

ଆୟୁବକୁ କୃପା କଲ, ଘୋର ବିପଦୁ ତାରିଲ,
ଦ୍ୱିଗୁଣ ସମ୍ପଦେ ଚିତ୍ତ ତୋଷିଲ ତାର । ୩ ।

ଯାକୁବ ଭୟେ ଭ୍ରାତାର ତ୍ୟଜନ୍ତେ ପିତୃ ଆଗାର
ତୁମ୍ଭେ ସଙ୍ଗେ ରହି ଦେଲ ମଙ୍ଗଳ ବର । ୪ ।

ନାଶକ-ରୋଗେ ଆକ୍ରାନ୍ତ ହିଜକୀୟର ଆରତ 
ଶୁଣି ମୃତ୍ୟୁ-ହସ୍ତୁଁ ତାକୁ କଲ ଉଦ୍ଧାର । ୫ । 

ତଦ୍ରୁପ ଦାନିୟେଲକୁ ତାରିଲ ସିଂହର ମୁଖୁଁ,
ରାଜନ ମଣିଲେ ତା’ ଅତି ଚମତ୍କାର । ୬ ।

ଯୁନୁସ ମତ୍ସ୍ୟ ଉଦରେ ଡାକନ୍ତେ ଅତି କାତରେ,
ତା ଶୁଣି ତ୍ୱରିତ ତାକୁ କଲ ଉଦ୍ଧାର । ୭ ।

କେଡ଼େ କେଡ଼େ ବିପତ୍ତିକୁ ନାଶି ରଖିଛ ଭକ୍ତଙ୍କୁ,
କେତେକ ମାତ୍ର ବା ଏ ମୋ ବିପତ୍ତି ଛାର । ୮ ।

କହଇ ଦୁଃଖୀ ଅଧୀନ, ପ୍ରଭୁ କରୁଣାନିଧାନ,
 ଖ୍ରୀଷ୍ଟ ହେତୁ ଏ ଦୁର୍ଗତି ନାଶିବେ ମୋର । ୯ ।

Leave a comment

Your email address will not be published. Required fields are marked *