( ସ୍ୱର : ଆଃ କି ଆନନ୍ଦ ସୁସମାଚାର )
ଆସ ଭାଇ ହେ କରି ସୁଗାନ ମହା ପ୍ରଭୁଙ୍କ ଦୟା କୀର୍ତ୍ତନ । ଘୋଷା ।
ଆମ୍ଭମାନଙ୍କ କ୍ଷେତ୍ରେ ଦୃଷ୍ଟି କର, ଶସ୍ୟ ସବୁ ପାଚିଅଛି ସୁନ୍ଦର;
କଲେ ଦୟାବାନ ଆଶୀର୍ବାଦ ଦାନ, କ୍ଷେତ୍ର ଶସ୍ୟରେ ସୁପୂର୍ଣ୍ଣ । ୧ ।
କୃଷକ ଲୋକେ କରି ବହୁଶ୍ରମ କେତେ ଭୋଗିଲେ ଅଙ୍ଗେ ଗ୍ରୀଷ୍ମ ଘର୍ମ
କରି ଉତ୍ପାଟନ ବନ୍ୟ ତୃଣମାନ ସୁବୀଜ କଲେ ବପନ । ୨ ।
ତଥାପି କୃଷକ ନିଜ ଶ୍ରମରେ ଶସ୍ୟ ନ କାଟେ କୌଣସି କାଳରେ,
ପିତା ଭଗବାନ କଲେ ବୃଷ୍ଟିଦାନ, ଉଦୟ କଲେ ତପନ । ୩ ।
ତେଣୁ କରି ଦେଖ ଏହି ମେଦିନୀ ହୁଅଇ ଅତ୍ୟନ୍ତ ଶସ୍ୟଶାଳିନୀ;
ଝଡ଼ ବତାସରେ ଶିଳା ବର୍ଷଣରେ ନୋହିଲା ଶସ୍ୟ ନାଶନ । ୪ ।
ଏଣୁ କରି ଆହେ ଭାଇ ସକଳେ, କର ସ୍ତବ ଶସ୍ୟ କାଟିବାବେଳେ;
ମିଳଇ ପ୍ରମାଣ, କର ସ୍ତବ ଗାନ, ପ୍ରଭୁ କେଡ଼େ ଦୟାବାନ ! । ୫ ।
ତ୍ରାଣକର୍ତ୍ତା ବୋଲନ୍ତି, ଆହେ ଭାଇ, କାଟିବା ଦିନ ଜଗତ ଶେଷଇ;
ସେ ଦିନ ଯେସନ ଗହମ ପ୍ରମାଣ ସ୍ୱର୍ଗେ ହେବା ସଞ୍ଚୟନ । ୬ ।
ହେ ପ୍ରଭୁ, କରି ଏହି ନିବେଦନ, ସ୍ୱର୍ଗ-ଧନ କରାଅ ସୁଯତନ,
ଖ୍ରୀଷ୍ଟ ଆସି ମୋତେ କାଟିଣ ଯେମନ୍ତେ ଦେବେ ଅନନ୍ତ ଜୀବନ । ୭ ।