( ସ୍ୱର : ଧନ୍ୟ ଧନ୍ୟ ଖ୍ରୀଷ୍ଟିୟାନ )
କି ଅସୀମ ଅଟେ ପ୍ରଭୁ ତବ ପରାକ୍ରମ ହେ ! । ଘୋଷା ।
ନ ଥିଲା ଏହି ଜଗତ ଯେଉଁ କାଳେ ଆବର କିଛି ହିଁ ଦୃଶ୍ୟ ଯେ ନୋହିଲେ,
ହେଉ ବୋଲି ସବୁ ବୋଲନ୍ତ ସେକାଳେ ହେଲେ ଆଜ୍ଞାମାତ୍ରେ ଜନ୍ମ ହେ । ୧ ।
ପକାଇଲେ ଦୃଷ୍ଟି ତବ ସୃଷ୍ଟି ପ୍ରତି ଦିଶନ୍ତି ସକଳ ଆଶ୍ଚର୍ଯ୍ୟ କେମନ୍ତି !
ବୋଲନ୍ତି ସୁସ୍ପଷ୍ଟ ସ୍ୱରରେ ସେ ଅତି,
ତବ ଶକ୍ତି ବୋଧାଗମ୍ୟ ହେ । ୨ ।
ଚନ୍ଦ୍ରମା ଆଦିତ୍ୟ ଗ୍ରହାଦି ନକ୍ଷତ୍ର,
ତବ ନିରୂପଣ ମାନନ୍ତି ସମସ୍ତ,
ଲଙ୍ଘିବାକୁ ତବ ବାକ୍ୟ ଯେ ଅନନ୍ତ ସର୍ବ ସୃଷ୍ଟି ହିଁ ଅକ୍ଷମ ହେ । ୩ ।
ଦୃଶ୍ୟ କି ଅଦୃଶ୍ୟ ସବୁରି ଶାସନ-
ଦଣ୍ଡକୁ କରିଛ ଶ୍ରୀକରେ ଧାରଣ,
ଦୂତ ଶୟତାନ ଆଦମ ସନ୍ତାନ
ତବ ଆଗେ ଧୂଳିସମ ହେ । ୪ ।
ସର୍ବ ଶକ୍ତିମାନ ତ୍ରିପୁର ରାଜନ, ତବ ପରାକ୍ରମ ଅନନ୍ତ ଅସୀମ,
ତ୍ରିଭୁବନେ ଯାହା ଅଟେ ଅନୁପମ ବର୍ଣ୍ଣିବି କି ମୁଁ ଅଧମ ହେ । ୫ ।