ମନରୁ ହେବ କି ଯୀଶୁ ପ୍ରେମ ବିସ୍ମରଣ,
ଯେ ପ୍ରେମେ ସେ ଭୋଗିଲେ ମୋ ପାପର କଷଣ ? । ଘୋଷା ।
ସେ ତ ମହାଶ୍ଚର୍ଯ୍ୟ ପ୍ରେମ, ତ୍ରିପୁରେ ନାହିଁ ତା ସମ,
ନୋହିଛି କାହିଁ କେବେ ଶ୍ରବଣ;
ଦୀର୍ଘ ପ୍ରସାର ଯାହାର, ନୁହଇ ଗମ୍ୟ କାହାର,
ସ୍ୱର୍ଗଦୂତେ ନ ପାରନ୍ତି କରି ତା କଳନ । ୧ ।
ଆହା ସେ କରି କି ପ୍ରେମ,
ତେଜିଲେ ସ୍ୱର୍ଗ ଭୁବନ ମର୍ତ୍ତ୍ୟପୁରେ ହୋଇଲେ ନିଧନ,
ଭୋଗି କି ନିନ୍ଦା ଦୂଷଣ ଯାତନା କ୍ଳେଶ କଷଣ
ନିଜ ପ୍ରାଣ କ୍ରୁଶୋପରେ କଲେ ସମର୍ପଣ । ୨ ।
ମିତ୍ର ପାଇଁ ପ୍ରାଣଦାନ- ଠାରୁ ନାହିଁ ପ୍ରେମ ଆନ,
ଶତ୍ରୁ ପାଇଁ କେ ଦିଅଇ ପ୍ରାଣ ?
ଆହା କି କରିବି ମନ ଯୀଶୁଙ୍କ ପ୍ରେମ ବର୍ଣ୍ଣନ
ନିଜ ପ୍ରାଣ କଲେ ଦାନ ଶତ୍ରୁଙ୍କ କାରଣ । ୩ ।
ଧନ୍ୟ ସେ ପ୍ରେମ ମହିମା କି ଦେବି ତାକୁ ଉପମା
ମହାଫଳ ତହିଁରୁ ଉତ୍ପନ୍ନ,
ହୁଅଇ ପାପ ମୋଚନ, ପରମ ଶାନ୍ତି ପ୍ରାପଣ,
ଶୋକ ସନ୍ତାପ ଦୁର୍ଗତି ସର୍ବ ନିବାରଣ । ୪ ।
ଯଦି ସମସ୍ତ ଜଗତ ହୁଏ ମୋ ମନୁଁ ବିସ୍ମୃତ
ହୋଇବ କି ସେ ପ୍ରେମ ପାସୋର !
ନାହିଁ ନାହିଁ କଦାଚନ ଭୁଲିବି ପ୍ରେମ ଏସନ,
କରିବି ମୁଁ ତାହା ନିତ୍ୟ ମୋ ଧ୍ୟାନ ଗାୟନ । ୫ ।