କର ହେ ମୋତେ ତୁମରି (ଆହେ ଯୀଶୁ),
ମୋରୂପ ବିଲୋପ କର, ସ୍ୱରୂପ ମୋଠି ପ୍ରସାର,
ତୁମଠି କର ତନ୍ମୟ ହୁଅ ମୋର ହୃଦମୟ
ତୁମ୍ଭଙ୍କୁ ପାଇ ନିଜକୁ ଯାଏ ଯେହ୍ନେ ପାସୋରି । ଘୋଷା ।
ତୁମ କରମେ ମୋତେ ବିଭୋର କର ପ୍ରଭୁ,
ମୋ ଇଚ୍ଛା ମୋର କରମ-ବାସନା ନାଶ ସବୁ,
ତୁମ୍ଭ କରମ ଛଳେ ମୋ କର୍ମ ନ ହେଉ ତିଳେ,
ତୁମ୍ଭ ପ୍ରଶଂସା ଗାଇ ନିଜେ ପ୍ରଶଂସା ନେଇ
ମୋତେ ଯେହ୍ନେ ନ ବସାଏ ତବ ଆସନୋପରି । ୧ ।
ଯେତେ ଉଦ୍ଧତ-ଚିନ୍ତା କଳପନା ସ୍ୱପନ
ସ୍ୱତଃ ଉଠେ ପ୍ରାଣେ ପ୍ରଭୁ କର ସବୁ ଦମନ ।
ହୃଦୟ ରାଜା ରୂପେ ବଶୀଭୂତ କର ଆପେ,
ନିନ୍ଦା ବିପଦ ଦେଇ ଅବା ପ୍ରେମରେ ଭୁଲାଇ
ଜୀବନର ସ୍ୱାମୀ ରୂପେ ନିଅ ନିଜର କରି । ୨ ।