ପ୍ରଭୋ !
ତ୍ରାଣଜନକ ଜ୍ଞାନରେ କର ପୂର୍ଣ୍ଣ ମୋ ମନ । ଘୋଷା ।
ତେଜି ତୁମ୍ଭର ପ୍ରିୟ ପୟର ହୋଇଲି ଭିନ୍ନ,
ପାପ-ପଥରେ ଧାଇଁ ଅଧୀରେ ଭ୍ରମିଲା ମନ,
ଘନ ବିପିନେ ଶାନ୍ତି ବିହୁନେ କାଟିଲି ଦିନ, ହେଜି ତୁମ୍ଭ ଦୟାସନ
ଶ୍ରୀପାଦେ ଏବେ ନେଲି ଶରଣ । ୧ ।
ମୁଁ ଦୀନହୀନ ଭ୍ରାନ୍ତ ବିପନ୍ନ, ନାହିଁ ମୋ ଜ୍ଞାନ,
ଅନ୍ତର ମୋର ପାପଗହ୍ୱର ତିମିରାଚ୍ଛନ୍ନ,
ଦେହ ଜୀବନ କ୍ଳାନ୍ତି ଆକୀର୍ଣ୍ଣ ମୃତ ସମାନ, ସରି ଯାଉଅଛି ପ୍ରାଣ
ଢାଳ ମୋ ଉପରେ କୃପାଜୀବନ । ୨ ।
ମୋର ଅଶେଷ ଘୋର କଳୁଷ କର କ୍ଷାଳନ,
ଧର୍ମ ଆତ୍ମାରେ ତୁମ୍ଭ ଦୀପ୍ତିରେ ଦିଅ ଡୁବନ,
ଯେହ୍ନେ ସତତ ଧର୍ମେ ଉତ୍ତପ୍ତ ହୋଇବ ମନ,
ତୁମ୍ଭ ପ୍ରିୟ ପାଦପଦ୍ମ ସେବୁଥିବି ମୁଁ ଯାବଜ୍ଜୀବନ । ୩ ।
ଆତ୍ମା ମୋହର ଦେହ ଆବର ତୁମ୍ଭ ସ୍ୱଜନ,
ନିଜ ପଦାର୍ଥ କର କୃତାର୍ଥ ହୋଇ ପ୍ରସନ୍ନ,
ଶେଷ ଦିନରେ ସ୍ୱର୍ଗପୁରରେ ଦିଅ ହେ ସ୍ଥାନ,
ପ୍ରଭୋ, ଦୟା ଚିତ୍ତେ ଶୁଣ ଯୀଶୁଙ୍କ ନାମେ ମୋ ନିବେଦନ । ୪ ।