ଆସ କେ ଆସ ଦେଖିବ ପରା ଗୋ,
ଶୋଇଛିରେ ଶିଶୁ ଗୁହାଳ କୁଣ୍ଡରେ,
ନାରାୟଣ ନର ଦେହେ ଦିଶେ କି ତୋରା । ଘୋଷା ।
ସୁଠାମ ସୁନ୍ଦର, ଜନ-ମନୋହର, ଅମର କୁମର,
ପାପୀ ତାପ ହର, ସୁର ପୁର ତେଜି, ନର ଦେହ ଭଜି,
ଜନମିଲେ ଆଜି ଯୀଶୁ ସନ୍ତାପହରା । ୧ ।
ଗଲେଣି ପଣ୍ଡିତେ ଜଗତର ହିତେ,
ସୁରପତି ସୁତେ ପୂଜିବେ ଏକାନ୍ତେ,
ଗନ୍ଧରସ ଚାରୁ ସୁବର୍ଣ୍ଣ କୁନ୍ଦରୁ,
ଆଣିଛନ୍ତି ଗୁରୁପଦେ ଭେଟିବେ ପରା । ୨ ।
ସରଗ ବାହିନୀ ଘେନି ଶୁଭବାଣୀ
ଭବେ ଆସିଲେଣି, ଶୁଣରେ ସେ ଧ୍ୱନି,
“ପାପ-ତମ ନାଶି ଶିଶୁ ଯୀଶୁ-ଶଶୀ
ପ୍ରାଣ-ନଭେ ହସି, ଉଦିଲେ ତମହରା’’ । ୩ ।
ଆମେ “ମେଷପାଳ ଗଲେଣି ଚଞ୍ଚଳ
ଚାଲ ଯିବା ଚାଲ ନେଇ ପ୍ରୀତି-ଫୁଲ,
ପୂଜିବା ଶ୍ରୀପାଦ ଅଭୟ ମୋକ୍ଷଦ,
ପୂରାଇବା ସାଧ ଦେଖି ଦୁଃଖ ପାସୋରା । ୪ ।