ହେ ନାରୀ, କିପାଁ କରୁଛ ରୋଦନ ହୋଇଣ ଅତ୍ୟନ୍ତ ବିଷର୍ଣ୍ଣମନ ?
ନାହାନ୍ତି ଯୀଶୁ ନାହାନ୍ତି ଏଠାରେ, ଉଠିଛନ୍ତି ନିଜ ବାକ୍ୟାନୁସାରେ;
କର ହେ ଦର୍ଶନ, ପ୍ରଭୁଙ୍କ କବର ଶୟନ ସ୍ଥାନ । ୧ ।
ହେ ନାରୀ, କିପାଁ କରୁଛ ରୋଦନ ? ଏଡ଼େ ଶୀଘ୍ର କି ହେଲ ବିସ୍ମରଣ ?
ଯା’ଙ୍କ ମହା ବଳିଷ୍ଠ ପରାକ୍ରମେ ଲାଜାର ଉଠିଥିଲା ଚାରିଦିନେ
ଏଡ଼େ ପରାକ୍ରମେ ଉଠି କି ନ ପାରିବେ ସେ ତ୍ରିଦିନେ ? । ୨ ।
ଆଜ୍ଞାରେ ଯେ ଯାଇରସ କନ୍ୟାକୁ ଜ୍ୟାଇଥିଲେ ବିଧବାର ପୁତ୍ରକୁ,
ଘୋର ତୋଫାନ ସାଗର କଲ୍ଲୋଳ ଆଜ୍ଞାମାତ୍ର ଦେଇ ଯେ କଲେ ସ୍ଥିର,
ସେ ପ୍ରଭୁ କି ପୁଣି ମୃତ୍ୟୁ ଲହଡ଼ି ନ ପାରିବେ ଜିଣି ? । ୩ ।
ହେ ନାରୀ, କିପାଁ କରୁଛ ରୋଦନ ? ହୁଅ ହେ ହୃଷ୍ଟ ଉଲ୍ଲସିତ ମନ;
ଦେଖ, ଯୀଶୁ ତୁମ୍ଭ ତ୍ରାଣରାଜନ, ଜୟ କଲେ ମୃତ୍ୟୁ ପାପାତ୍ମାଗଣ;
ଯାଅ ହେ ବହନେ, ସମ୍ବାଦ ଦିଅ ତାଙ୍କ ଭ୍ରାତୃଗଣେ । ୪ ।
ହେ ନାରୀ; କିପାଁ କରୁଛ ରୋଦନ ? ହୃଷ୍ଟ ଚିତ୍ତେ ବେଗେ କର ଗମନ;
ତୁମ୍ଭ ତ୍ରାଣକର୍ତ୍ତା ଯୀଶୁ ରାଜନ କରିଅଛନ୍ତି ସେ ପୁନରୁତ୍ଥାନ,
କର ହେ ଗମନ ଗାଲିଲୀ ଦେଶେ ପାଇବ ଦର୍ଶନ । ୫ ।
ମାରିଆ ମୁଖ ଫେରାନ୍ତେ ବହନ ଯୀଶୁଙ୍କୁ ତତ୍କ୍ଷଣେ କଲେ ଦର୍ଶନ
ବୋଇଲେ ଯୀଶୁ, ଆଗୋ ମରିୟମ, କିପାଇଁ କରୁଛ ଏତେ ରୋଦନ ?
ଗାଅ ଜୟଗୀତ, ଆମ୍ଭେ ହୋଇଅଛୁ ପୁନର୍ଜୀବିତ । ୬ ।
ମାରିଆ ଯୀଶୁଙ୍କ ଦର୍ଶନ ପାଇ ଆନନ୍ଦ ମନେ ବେଗେ ଗଲେ ଧାଇଁ,
ବୋଇଲେ, ଶୁଣ ଆହେ ଶିଷ୍ୟଗଣ, ପ୍ରଭୁ ଦେଇଛନ୍ତି ମୋତେ ଦର୍ଶନ;
କର ହେ ପ୍ରସ୍ଥାନ, ଗାଲିଲୀଠାରେ ପାଇବ ଦର୍ଶନ । ୭ ।