କରିବି କିପରିରେ ଏଡ଼େ ଘୋର ଦୁଷ୍କର୍ମ
ଅମର ଈଶ୍ୱରଙ୍କ ଦୃଷ୍ଟିରେ ହେ ?
ମୋର ଦୃଢ଼ ନିୟମ ଲଙ୍ଘିବି ମୁଁ କେସନ
ଯାହା କରିଛ ତାଙ୍କ ଛାମୁରେ ହେ ? । ଘୋଷା ।
ସେ ମୋ ପରମ ପିତା, ସର୍ବ ମଙ୍ଗଳ ଦାତା,
କରିଛନ୍ତି କି କୃପା ମୋ ପରେ ହେ!
ବିରୁଦ୍ଧରେ ତାଙ୍କରି ପାରିବି କି ମୁଁ କରି
ଏଡ଼େ ପାପ ମୋ ଶତ୍ରୁ ଶିକ୍ଷାରେ ହେ ? । ୧ ।
ମୋହର ପାପ ପାଇଁ କି ଦୁଃଖ ନିନ୍ଦା ସହି
ବିଦ୍ଧ ହେଲେ ସେ କ୍ରୁଶ ଉପରେ ହେ,
କରି ପାପ ଏସନ ବାନ୍ଧିବି କି ମୁଁ ପୁନଃ
ତାଙ୍କୁ ଅତ୍ୟନ୍ତ ଅପମାନରେ ହେ ? । ୨ ।
ସେ ମୋ ପ୍ରବୋଧକର୍ତ୍ତା ଶୋକସନ୍ତାପହର୍ତ୍ତା,
ଦିଅନ୍ତି କି ଶାନ୍ତି ମୋ ମନରେ ହେ !
ଏଡ଼େ ଉପକାରୀଙ୍କି ଦେଇ ଘୋର ଦୁଃଖ
କି ଦୂର କରିବି ଅକାରଣରେ ହେ ? । ୩ ।
ସେ ସକଳାନ୍ତର୍ଯ୍ୟାମୀ ଜାଣନ୍ତି ସବୁ ପୁଣି,
ଦୃଷ୍ଟି ପଡୁଛି ତାଙ୍କ ମୋ ପରେ ହେ;
କରି ପାପ ଏମନ୍ତ ପାରେ କି କରି ଗୁପ୍ତ ?
କିସ ଅଜଣା ତାଙ୍କ ଗୋଚରେ ହେ ? । ୪ ।
ଏ ମୋର ଦୃଢ଼ ଜ୍ଞାନ, ସେ ସର୍ବ ଶକ୍ତିମାନ,
ନୁହନ୍ତି ତୁଷ୍ଟ କେବେ ପାପରେ ହେ;
ତାଙ୍କ ଆଗେ ଏପରି କୁକର୍ମ ମୁହିଁ କରି
ପାଇବି ମଙ୍ଗଳ କେଉଁଠାରେ ହେ ? । ୫ ।
ନାହିଁ ନାହିଁ, ଏସନ ପାପ ମୁଁ କଦାଚନ
କରିବି ନାହିଁ କେଉଁ କାଳରେ ହେ,
ହୋଇ ତାର ବିରୁଦ୍ଧ କରିବି ନିତ୍ୟ ଯୁଦ୍ଧ
ଥାଏ ଯେଯାଏ ପ୍ରାଣ ପିଣ୍ଡରେ ହେ । ୬ ।