ହାୟ ଖ୍ରୀଷ୍ଟ ଯନ୍ତ୍ରଣା !
ନୁହେଁ କରି ବର୍ଣ୍ଣନା,
ଅନୁକ୍ଷଣେ ମନ କର ଭାବନା । ଘୋଷା ।
ତ୍ରିଭୁବନ କର୍ତ୍ତା ହୋଇ ନର ରୂପ ନେଲେ ସେହି,
ପାପୀ ଉଦ୍ଧାରିବା ପାଇଁ କରେ କରୁଣା । ୧ ।
ପ୍ରଭୁ ହୋଇ ଦାସାକାରେ ଜନ୍ମିଲେ ଦରିଦ୍ର ଘରେ,
କେତେ କଷଣ ସହିଲେ ନୁହେଁ କଳନା । ୨ ।
ଗେତ୍ସେମନି ବଗିଚାରେ କି ଦୁଃଖ ପ୍ରଭୁ ସହିଲେ !
ଜଗତର ପାପଭାରେ ବ୍ୟାକୁଳମନା । ୩ ।
ଦୁଃଖ କଣ୍ଠାଗ୍ରତ ପ୍ରାଣ, ଡାକିଲେ ହେ ପିତା ଶୁଣ,
ହେଉ ଶ୍ରୀ ଇଚ୍ଛା ପ୍ରମାଣ, ଏ ମୋ ପ୍ରାର୍ଥନା । ୪ ।
ମରଣ କାଳର ପରି ହୋଇଲା ସେ ଦୁଃଖ ଭାରୀ,
ସର୍ବାଙ୍ଗୁ ପଡ଼ଇ କ୍ଷରି ରକ୍ତ ପସିନା । ୫ ।
ଖଡ୍ଗ ଯଷ୍ଟି ନେଇ ହସ୍ତେ ଧଇଲେ ଚୋରର ମତେ,
କେତେ ସହିଲେ ପ୍ରଭୁ ଦୁଃଖ ଯାତନା । ୬ ।
ମାରନ୍ତି ଜାବୁଡ଼ାମାନ, ପଚାରନ୍ତି ଏହା ପୁଣ,
କିଏ ମାଇଲା କହ କରି ଗଣନା । ୭ ।
ଏହିରୂପେ ଦୁଷ୍ଟ ଲୋକେ ଛେପ ପକାଇଲେ ମୁଖେ,
ମାରନ୍ତି ବେତ ମସ୍ତକେ ବିଦ୍ରୂପ ନାନା । ୮ ।
ଦୁଇ ପାଖେ ଦୁଇ ଚୋର ମଧ୍ୟରେ ଜଗତ ସାର,
ଚଢ଼ାଇ କ୍ରୁଶ ଉପର ପ୍ରେକ ମାରଣା । ୯ ।
କହନ୍ତି ପୁଣି ଏମନ୍ତ, ତୁ ପରା ଈଶ୍ୱର ସୁତ ?
କ୍ରୁଶରୁ ଓହ୍ଲାଇ ଆସ, ଜାଣିବା ସିନା । ୧୦ ।
ପ୍ରଭୁ ଥାଇ କ୍ରୁଶୋପର ହୋଇ ଦୁଃଖରେ ବ୍ୟାକୁଳ
ବୋଲନ୍ତି ହେ ପିତା ମୋତେ ଛାଡ଼ି ଦିଅନା । ୧୧ ।
ମୁଁ ଅଧମ ପାପୀ ଜନ ଭରସା ଖ୍ରୀଷ୍ଟ ଚରଣ,
ମୋର ପ୍ରତି ସୁନୟନ ନ କର ଊଣା । ୧୨ ।