ଆହାରେ ପତିତ ମନ, କି କଲୁ ତୁ ମହୀରେ ?
ନିରତେ ରତ ତୁ ହେଲୁ ଭବାର୍ଣ୍ଣବେ ରହି ରେ । ଘୋଷା ।
କେ ଗଢ଼ନ୍ତି କେ ଜନ୍ମାନ୍ତି କେ ପାଳନ୍ତି କହରେ,
କେ ଦେହୁଁ ଆତ୍ମାକୁ ନେଇ କାହିଁ ରଖେ କହରେ,
ତାହାଙ୍କୁ କ୍ଷଣେ ତୁ ମନେ ନ କଲୁ,
ତାହାଙ୍କ ଆଜ୍ଞା କିଛି ନ ପାଳିଲୁ, ସଜୀବ ଛାଡ଼ି ଅଜୀବ ଭଜିଲୁ,
ନିଜ ଇଚ୍ଚାରେ ଈଶ୍ୱର ଛାଡ଼ିଲୁ । ୧ ।
ହେ ଦୟାସାଗର ପିତା ଆପଣା କୁମରକୁ
ପଠାଇଲେ ନରମେଧ ପ୍ରାୟଶ୍ଚିତ୍ତ ହେବାକୁ,
ମାରିଆ ନାମେ କୁମାରୀ ଗର୍ଭ
ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟ ଉଦ୍ଭବ,
ମହିମାମୟ ଈଶ୍ୱର-ପ୍ରଭାବ
ପ୍ରକାଶ କରି ଗଲେ ସ୍ୱର୍ଗଠାବ । ୨ ।
ମୃତ୍ୟୁକୁ ନ ଡର ମନ, ପାପ ଦୂର କର ରେ,
ସେ କହନ୍ତି, ମୋ ନିକଟେ ଆସିବ ଯେ ନର ରେ
ଆମ୍ଭର ରକ୍ତରେ ଶୁଚି କରିବା,
ଧ ର୍ମାତ୍ମା-ଅଗ୍ନିରେ ମନ ଶୋଧିବା,
ପବିତ୍ର କରି ସ୍ୱର୍ଗକୁ ଆଣିବା,
ଜୀବନରୂପ ମୁକୁଟକୁ ଦେବା । ୩ ।
କାଳ ଯାଉଅଛି, ମୃତ୍ୟୁ ଆସୁଛି ଘନାଇରେ,
ଧ ୂଳିରେ ଧୂଳି ହୋଇବୁ ମନେ କରୁ ନାହୁଁରେ,
ଏତେବେଳେ ମନ ସ୍ୱର୍ଗକୁ ଯାଅ,
ଲୋଟ ସ୍ତ୍ରୀ ପ୍ରାୟ ପଛକୁ ନ ଚାହଁ,
ଯାହା ଘଟିବ ତାହା ସବୁ ସହ,
ଘୋର ନରକେ ଆତ୍ମା ନ ବୁଡ଼ାଅ । ୪ ।