ବହିଲା ପ୍ରଚଣ୍ଡ ବେଗେ ପବନ,
ଚତୁର୍ଦ୍ଦିଗ ଭୟେ ହେଲା ଆଚ୍ଛନ୍ନ
ଗଭୀର ସାଗର ଢେଉ କଲ୍ଲୋଳ,
ପ୍ରଖର ହୋଇ ଉଠିଲା ବହୁଳ ଢେଉର ପ୍ରବଳ,
ନାବକୁ କଲା ଅତି ଟଳମଳ । ୧ ।
ଦେଖିଣ ପ୍ରଚଣ୍ଡ ପବନ ରୀତି,
କି ଉଦ୍ବେଗ ହେଲା ମନରେ ଭୀତି ହୋଇଣ ସମସ୍ତେ ମନେ ନିରାଶ,
ଡାକ ପକାଇଲେ ହେଲୁ ବିନାଶ ବିଶ୍ୱାସର ସ୍ଥାନ,
ହତାଶ ଭୟରେ ହେଲା ଆଚ୍ଛନ୍ନ । ୨ ।
ମାତ୍ର ଜଣେ ସେହି ନାବରେ ଥିଲେ,
ନିଦ୍ରାରୁ ଉଠି ରବ ଶୁଣାଇଲେ
ଆହେ କଲ୍ଲୋଳ ଗଭୀର ସାଗର,
ହେ ପ୍ରଚଣ୍ଡ ବାତ, ହୁଅ ସୁସ୍ଥିର
ତାହାଙ୍କ ବଚନେ, ସମସ୍ତ ସୁସ୍ଥିର ହେଲା ତତ୍କ୍ଷଣେ । ୩ ।
ବାୟୁ ଆଜ୍ଞାବହ ତତ୍କ୍ଷଣେ ହେଲା,
ସମୁଦ୍ର ତାର କର୍ତ୍ତାକୁ ଚିହ୍ନିଲା ସମୁଦାୟ ହେଲା ଦେଖ ସୁସ୍ଥିର,
ଉଡ଼ିଣ ଗଲା ଭୟ ଅନ୍ଧକାର ହୋଇଲା ସୁସ୍ଥିର,
ଆକାଶ ପବନ ସମୁଦ୍ର ନୀର । ୪ ।
ହେ ମହାମହିମ ଈଶ୍ୱର ସୁତ,
ତବ ଆଜ୍ଞାଧୀନ ପ୍ରଚଣ୍ଡ ବାତ
ତୁମ୍ଭ ଆଜ୍ଞା ମାନେ ସାଗର ଢେଉ,
ପଳାଏ ପାପ ଶୟତାନ ଆଉ
ନରକ ଜଗତ, ତୁମ୍ଭେ କରିଅଛ ସବୁ ପରାସ୍ତ । ୫ ।
ଯେତେବେଳେ ମନେ ପାପ ଲହଡ଼ି,
ପ୍ରବଳ ହୋଇ ଆସୁଥାଏ ମାଡ଼ି,
ପ୍ରଚଣ୍ଡ ପବନ ଘୋର ଅନ୍ଧାର,
କରଇ ଦୁର୍ବଳ ବିଶ୍ୱାସ ମୋର ହେ ଯୀଶୁ ଈଶ୍ୱର,
ପଠାଇ ତୁମ୍ଭ ଆତ୍ମା କର ସୁସ୍ଥିର । ୬ ।