ଆହେ ପ୍ରିୟ ପ୍ରଭୁ ତୁମ୍ଭ ଛାମୁରୁ,
କେଉଁଠାକୁ ଯିବି ତୁମ୍ଭ ଦୃଷ୍ଟିରୁ ?
ମୋର ଦୁର୍ବଳ ପାପୀଷ୍ଠ ଚରଣ,
କେଉଁଠାକୁ ବା କରିବି ଗମନ ?
ନାହିଁ ଅନ୍ୟ ପଥ,
ତୁମ୍ଭେ ମୋ ଜୀବନ ମୋ ପ୍ରାଣନାଥ । ୧ ।
ଯେତେବେଳେ ପାପ ହୋଇ ପ୍ରବଳ, ଉଠିବ ପ୍ରଚଣ୍ଡ ଢେଉ ଆକାର,
ଘୋର ଭୟ କରିବ ଆଚ୍ଛାଦନ, ଆକାଶେ ଯେହ୍ନେ ମେଘ କୃଷ୍ଣବର୍ଣ୍ଣ,
ସେହିକାଳେ ମୋତେ, କେହୁ ନେବ ଶାନ୍ତି ନଦୀର ତଟେ ? । ୨ ।
କେଉଁଠାକୁ ମୁଁ କରିବି ଗମନ, ନ ଦିଶେ ଅମୃତ ନିର୍ଝର ଅନ୍ୟ,
ତୁମ୍ଭଠୁଁ ଦୂରକୁ କଲେ ଭ୍ରମଣ, କେ ଦେବ ମୋତେ ସ୍ୱର୍ଗୀୟ କିରଣ ?
ମୁହିଁ ଦୀନହୀନ, ଘୋର ବିପିନେ ହେବି ପଥଭ୍ରମ । ୩ ।
କେଉଁଠାକୁ ମୁଁ କରିବି ଗମନ, ଶତ୍ରୁ ମୋର କରେ ଘୋର ଗର୍ଜ୍ଜନ,
ଗ୍ରାସିବାକୁ ତା’ର ଆକାଂକ୍ଷା ଭାରୀ, ନିଶ୍ଚେ ଦୁର୍ବଳ ପ୍ରାଣ ଦେବ ସାରି,
ହେ ଦୁର୍ବଳ ବଳ, ତୁମ୍ଭ ବିନା କେହୁ ହେବ ମୋ ଢାଲ । ୪ ।
କ୍ଷୁଧିତ ମୁଁ ଜୀବନ-ରୁଟି ଚାହେଁ, ତୃଷିତ ମୁଁ ତୁମ୍ଭ ପାଇଁ ଧକାଏ,
ଉଲଙ୍ଗ, ଦୁର୍ବଳ, ମୁଁ ଦୀନହୀନ, ଖୋଜିବି କେଉଁଠାରେ ପରିତ୍ରାଣ ?
ହେ ଜୀବନାକାର, ମୁଁ କି ତୁମ୍ଭଠାରୁ ହେବି ଅନ୍ତର ? । ୫ ।
ତୁମ୍ଭେ ମୋର ଅନନ୍ତ ଜୀବନଧନ, କେଉଁଠାକୁ ମୁଁ କରିବି ଗମନ ?
ତୁମ୍ଭ ବିନା ପାଇଲେ କ୍ଷୟ-ଧନ, ତୃପ୍ତ ନୋହିବ ମୋ ଅନ୍ତଃକରଣ,
ତୁମ୍ଭଠାରୁ ଭିନ୍ନ ହେଲେ ମୁଁ ନିତାନ୍ତ ଦୁର୍ଭାଗ୍ୟ ଜନ । ୬ ।
ଯଦ୍ୟପି ମୁଁ ମୁଢ଼ ପାପୀ ଅଧମ, ତୁମ୍ଭଠୁଁ ଦୂରକୁ କରେ ଗମନ,
ଟାଣ ତୁମ୍ଭର ପ୍ରେମ-ରଜ୍ଜୁ ଧରି, ତୁମ୍ଭ ଚରଣକୁ ଆଣ ଓଟାରି,
ଆହେ ପ୍ରାଣପତି, କେଉଁ ସ୍ଥାନକୁ ମୁଁ କରିବି ଗତି । ୭ ।
ମୃତ୍ୟୁ ଯେଉଁକାଳେ ଆସିବ ମୋର, ତୁମ୍ଭ ବିନା କେ ହେବ ଆଶ୍ରା ମୋର ?
କାହାର ବଳେ ମୁଁ ଜୟ କରିବି, ମୃତ୍ୟୁ ନାହୁଡ଼ ଭାଙ୍ଗି ପକାବି ?
ଅନନ୍ତ ଜୀବନ, କେଉଁଠାକୁ ମୁଁ କରିବି ଗମନ । ୮ ।
ତୁମ୍ଭକୁ ପୁନରାଗମନ ଦିନେ କରିବି ଦର୍ଶନ ବ୍ୟୋମ-ବିମାନେ,
ସେଦିନ ତୁମ୍ଭର କୃପାରୁ ମୁହିଁ, ମହାନନ୍ଦେ ରଥେ ଯିବି ପଳାଇ,
ତୁମ୍ଭ ବାକ୍ୟ ଦେଖ ଅଟେ ଅନନ୍ତ ଜୀବନଦାୟକ । ୯ ।